ଭାରତୀୟ ସେନାକୁ ପ୍ରଶଂସା କଲେ ଚୀନର ସୈନ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଚୀନର ସୈନ୍ୟ ବିଶେଷଜ୍ଞ ହୁଆଙ୍ଗ ଗୁଔଜୀ ଭାରତୀୟ ସେନାର ଖୁବ୍ ପ୍ରଶଂସା କରିଛନ୍ତି। ହୁଆଙ୍ଗଙ୍କ କହିବା ମୁତାବକ, ଭାରତ ପାଖରେ ଦୁନିଆର ସବୁଠୁ ବଡ଼ ଓ ସବୁଠୁ ଅଧିକ ଅନୁଭବୀ ପାହାଡ଼ୀ ସେନା ରହିଛନ୍ତି। ୧୯୭୦ ପରେ ଭାରତୀୟ ସେନା ପାହାଡ଼ୀ ସେନାଙ୍କ ଆକାର ବିସ୍ତାର କରିଛି। ଏତଦବ୍ୟତୀତ ଭାରତ ୫୦ ହଜାର ଯବାନଙ୍କୁ ନେଇ ଏକ ମାଉଣ୍ଟେନ ଷ୍ଟ୍ରାଇକ ଫୋର୍ସ ଗଠନ କରିବାର ଯୋଜନା ମଧ୍ୟ ପ୍ରସ୍ତୁତ କରିଛି। ଭାରତୀୟ ପାହାଡ଼ୀ ସେନାର ପ୍ରତ୍ୟେକ ସଦସ୍ୟ ପାହାଡ଼ ଚଢ଼ିବାରେ ବେଶ ଧୁରନ୍ଧର। ଭାରତ ଏଥିପାଇଁ ପେଶାଗତ ପର୍ବତାରୋହୀଙ୍କୁ ବି ସେନାରେ ଭର୍ତ୍ତି କରିଛି। ତିବତ ସୀମା ଭଳି ଅଂଚଳରେ ଭାରତୀୟ ସେନା ପାଖରେ ଉପଯୁକ୍ତ ଅସ୍ତ୍ର ରହିଛି।

ହୁଆଙ୍ଗ ଆହୁରି କହିଛନ୍ତି କି, ଭାରତ ପାଖରେ ଏମିତି ସେନା ରହିଛନ୍ତି ଯାହାକି ଆମେରିକା, ଋଷ କିମ୍ବା ଏସିଆ ମହାଶକ୍ତି ପାଖରେ ମଧ୍ୟ ନାହାନ୍ତି। ଭାରତ ଗତ କିଛି ବର୍ଷ ହେବ ଚୀନ ସୀମା ପାଖରେ ପ୍ରଶିକ୍ଷିତ ସୈନିକଙ୍କ ଉପସ୍ଥିତିକୁ ବଢ଼ାଇ ଦେଇଛି। ଇତିହାସରେ ପ୍ରଥମଥର ପାଇଁ ଚୀନର ସୈନ୍ୟ ବିଶେଷଜ୍ଞ ଭାରତର ଶକ୍ତି ଓ ରଣନୀତିକ ଉପସ୍ଥିତିକୁ ନେଇ ଏମିତି ପ୍ରଶଂସା କରିଛନ୍ତି।