ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିଆଇଆଇର ୧୨୫ତମ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତୀୟ ଉଦ୍ୟୋଗ ଜଗତ ସହ ଦେଶର ଆର୍ଥିକ ଅଭିବୃଦ୍ଧିକୁ ଟ୍ରାକକୁ ଫେରାଇ ଆଣିବାର ମନ୍ତ୍ର ସେ ସଭିଙ୍କୁ ଦେଇଛନ୍ତି। ଏଭଳି ସ୍ଥିତିରେ କରୋନା ବିରୁଦ୍ଧରେ ଲଢ଼ିବା ପାଇଁ ଆମକୁ ଆହୁରି ଦୃଢ଼ ପଦକ୍ଷେପ ନେବାକୁ ପଡ଼ିବ। କରୋନା ବିପକ୍ଷରେ ଆର୍ଥିକାବସ୍ଥାକୁ ସୁଦୃଢ଼ କରିବା ପାଇଁ ଯେଉଁ ପଦକ୍ଷେପ ଏବେ ନିଆଯିବା ଦରକାର ତାହା ନିଆଯାଇଛି। ଏହାସହ ଏମିତି ବି ପଦକ୍ଷେପ ନିଆଯାଉଛି ଯାହା ଦେଶ ପାଇଁ ଦୀର୍ଘମିଆଦୀ ହେବ ବୋଲି ମୋଦୀ କହିଛନ୍ତି।
ମୋଦୀ କହିଛନ୍ତି, ଦେଶର ଅର୍ଥ ବ୍ୟବସ୍ଥା ନିଶ୍ଚିତ ରୂପେ ସୁଦୃଢ଼ ହେବ। କାରଣ ମୋତେ ଆମ ପ୍ରତିଭାମାନଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି। ଆମେ ପୁନର୍ବାର ବିକାଶ ଦିଗରେ ଅଗ୍ରସର ହେବୁ। ଜୁନ୍ ୮ରୁ ସ୍ଥିତି ପୁଣି ନିୟନ୍ତ୍ରଣକୁ ଆସିଯିବ। ଆଜି ଆମେ ଏସବୁ କରିପାରୁଛୁ କାହିଁକିନା ଯେତେବେଳେ ଦୁନିଆରେ କରୋନା ଭାଇରସ ବ୍ୟାପୁଥିଲା ସେତେବେଳେ ଭାରତ ଉଚିତ ସମୟରେ ଉଚିତ ପଦକ୍ଷେପ ନେଇଥିଲା। ସମସ୍ତେ ଭାରତ ପ୍ରତି ଆଜି ଯେଉଁ ଆସ୍ଥା ପ୍ରକଟ କରିଛନ୍ତି ତାହା ଭାରତକୁ ଉଦ୍ୟୋଗ କ୍ଷେତ୍ରରେ ସହାୟକ ହେବ। ଆଜି ବିଶ୍ୱର ଭାରତ ପ୍ରତି ଆସ୍ଥା ବଢ଼ିବା ସହ ନୂଆ ଆଶା ମଧ୍ୟ ସଂଚାର ହୋଇଛି। କରୋନା ସଙ୍କଟ କାଳରେ ଯେତେବେଳେ ଗୋଟିଏ ଦେଶ ଆଉ ଗୋଟିଏ ଦେଶକୁ ସାହାଯ୍ୟ କରିବା କଷ୍ଟକର ସେହି ସମୟରେ ୧୫୦ଟି ଦେଶକୁ ଆମେ ସ୍ୱାସ୍ଥ୍ୟସେବା ଯୋଗାଇଥିଲୁ। ଉଦ୍ୟୋଗ କ୍ଷେତ୍ରରେ ସମଗ୍ର ବିଶ୍ୱ ଏବେ ଏକ ବିଶ୍ୱାସଯୋଗ୍ୟ ପାର୍ଟନର ଖୋଜୁଥିବା ବେଳେ ଭାରତ ପାଖରେ ସେ କ୍ଷମତା ରହିଛି।
ମୋଦୀ ଆହୁରି କହିଛନ୍ତି କି, ପ୍ରତ୍ୟେକ ସେକ୍ଟରରେ ଉତ୍ପାଦନ ବଢ଼ାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ପଡ଼ିବ। ଦେଶକୁ ଏବେ ଏମିତି ‘ମେଡ ଇନ ଇଣ୍ଡିଆ’ ପ୍ରଡୋକ୍ଟର ଆବଶ୍ୟକତା ରହିଛି ଯାହାକୁ ‘ମେଡ ଫର ଦି ୱାର୍ଲ୍ଡ’ କୁହାଯାଇପାରିବ। ମାତ୍ର ୩ ମାସ ମଧ୍ୟରେ ଦେଶରେ ପିପିଇର ଏତେ ମାତ୍ରାର ଇଣ୍ଡିଷ୍ଟ୍ରୀ ଠିଆ ହୋଇଛି ଯାହାକୁ ନେଇ ମୁଁ ବେଶ୍ ଗର୍ବିତ। ଏତଦବ୍ୟବତୀତ ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ନିବେଶ ଓ କୃଷକଙ୍କ ସହ ସିଧାସଳଖ କଥା ହେବାର ରାସ୍ତା ଖୁଲିବାର ଆମକୁ ପୁରା ଲାଭ ଉଠାଇବାକୁ ପଡ଼ିବ। ଆମେ ସମସ୍ତେ ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସଙ୍କଳ୍ପବଦ୍ଧ ହେବା ଉଚିତ।