ବିଦ୍ୟୁତ ଆଘାତରେ ମାଇହାତୀ ମୃତ

ରାଉରକେଲା,ଏନ୍ଏନ୍ଏସ୍: ରାଉରକେଲା ବନଖଣ୍ଡ ଅନ୍ତର୍ଗତ କେ ବଳାଙ୍ଗ ଥାନା ଅନ୍ତର୍ଗତ ବାଙ୍କୀ ରେଞ୍ଜ୍‌ ଅଞ୍ଚଳର ବାକରତୋଳା ଗ୍ରାମରେ ବିଜୁଳି ଆଘାତରେ ଏକ ମାଈହାତୀର ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତ ହାତୀଟି ସେ ଗାଁ ପାଖ ଜଙ୍ଗଲରେ ରହି ଆଖପାଖ କ୍ଷେତରୁ ଧାନ ଓ ବାଜରା ଆଦି ଫସଲ ଖାଇ ନଷ୍ଟ କରୁଥିବା ୨୨ଟିକିଆ ଝାଡ଼ଖଣ୍ଡୀ ହାତୀପଲରୁ ଗୋଟିଏ। ହାତୀ ପଶି ଫସଲ ନଷ୍ଟ କରୁଥିବା କଥା ସେ ଅଞ୍ଚଳର ଗ୍ରାମବାସୀମାନେ ବାରମ୍ବାର ବନବିଭାଗକୁ ଜଣାଇଥିଲେ ମଧ୍ୟ ସେମାନେ କୌଣସି ପ୍ରତିକାର କରି ନଥିଲେ। ହାତୀଙ୍କ କଳବରୁ ଫସଲ ରକ୍ଷା କରିବା ଉଦ୍ଦେଶ୍ୟରେ ଚାଷୀମାନେ ଫସଲ ବିଲ ଚାରିପଟେ ଧାତବ ତାର ଘେରାଇ ତା’ ମଧ୍ୟକୁ ବିଜୁଳି ପ୍ରବାହିତ କରିଥିଲେ।

ଗତ ରାତିରେ ବିଲକୁ ଆସିଥିବାବେଳେ ଏ ହାତୀଟି ସେହି ତାର ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ବାଙ୍କୀ ରେଞ୍ଜର ଓ କେ ବଲାଙ୍ଗ ଥାନା ଅଧିକାରୀ ପହଞ୍ଚିଛନ୍ତି। ପଲର ଅନ୍ୟ ହାତୀମାନେ ଆଖପାଖର ରହି ଜଗିଥିବାରୁ ମୃତହାତୀ ପାଖକୁ ଯିବା ସମ୍ଭବ ହେଉନାହିଁ। ହାତୀମାନଙ୍କୁ ସେଠାରୁ ଘଉଡ଼ାଇବାକୁ ବନକର୍ମଚାରୀମାନେ ଉଦ୍ୟମ ଚଳାଇଛନ୍ତି।