ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ କଣ୍ଡେଇକେଲା ଗ୍ରାମରେ ବାରହା ମାଂସ ବିକ୍ରି କରୁଥିବାବେଳେ ୩ଜଣଙ୍କୁ ବେଲପାହାଡ଼ ବନାଞ୍ଚଳ ପକ୍ଷରୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ମୁରଲିପାଲି ଗ୍ରାମର ଶୁଶିଲ ଭୋଇ(୨୨), ସରେଇପାଲି ଚନ୍ଦ୍ରଶେଖର କାଲୋ(୪୭) ଓ କଣ୍ଡେଇକେଲା ଗ୍ରାମର ଦନାର୍ଦନ ଭୋଇ(୩୯) ବୋଲି ବେଲପାହାଡ଼ ବନାଞ୍ଚଳ ଅଧିକାରୀ ସୁବାଷ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।
ମିଳିଥିବା ରିପୋର୍ଟ ମୁତାବକ, କଣ୍ଡେଇକେଲା ଗ୍ରାମରେ ୧୧କେଭି ବିଦ୍ୟୁତ ଖୁଣ୍ଟରୁ ଜେଇ ତାର ସଂଯୋଗ କରି ଅଭିଯୁକ୍ତମାନେ ଏକ ବାରହାକୁ ହତ୍ୟା କରିଥିଲେ। ପରେ କଣ୍ଡେଇକେଲା ପୋଖରୀ ହିଡ଼ରେ ବାରହାକୁ କାଟି ମାଂସ ତିଆରି କରିବା ସହ ବିକ୍ରି କରୁଥିଲେ। ଏନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କନକତୋରା ଫରେଷ୍ଟର ଡୋଳାମଣି ନାୟକ, ଫରେଷ୍ଟ ଗାର୍ଡ କନ୍ଦର୍ପ ସାହୁ, ପ୍ରଦୀପ କୁମାର ପ୍ରଧାନ, ବେଲପାହାଡ଼ ଫରେଷ୍ଟର ଚୈତନ୍ୟ ଦେହେରୀ, ସୁନୀଲ କୁମାର, ବାପୁଜୀ ପ୍ରଧାନ ଓ ଦୁର୍ବଦଳ ଭୋଇ ପ୍ରମୁଖ ଚଢ଼ଉ କରି ଘଟଣାସ୍ଥଳରୁ ସୁଶୀଲ ଭୋଇ, ଚନ୍ଦ୍ରଶେଖର କାଲୋକୁ ଗିରଫ କରିବା ସହ ବାରହା ମୁଣ୍ଡ ଏବଂ ଗୋଡ଼ ଜବତ କରିଥିଲେ। ସେମାନଙ୍କୁ ପଚରାଉଚୁରା କରି ଏହି ଘଟଣାରେ ଜଡ଼ିତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଜନାର୍ଦନ ଭୋଇକୁ ଗିରଫ କରିଥିଲେ। ପରେ ଏକ ମାମାଲା ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ଘଟଣାର ଅଧିକ ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବେଲପାହାଡ଼ ବନାଞ୍ଚଳ ଅଧିକାରୀ ସୁବାଷ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।