ବରଗଡ଼ରେ ପୁଣି ୧୧ କରୋନା ପଜିଟିଭ ଚିହ୍ନଟ

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାରେ ପୁଣି ୧୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ ଏସମ୍ପର୍କରେ ସବିଶେଷ ତଥ୍ୟ ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି । ଫଳରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି।

ଉଲ୍ଲେଖଯୋଗ୍ୟ, ଅମ୍ବାଭୋନା ବ୍ଲକ ରୁଚିଦା ଗ୍ରାମର ୩୫ ବର୍ଷୀୟ ଜଣେ ସ୍ଥାନୀୟ ଆକ୍ରାନ୍ତଙ୍କ ସମେତ ପୂର୍ବ ରୋଗୀଙ୍କ ସଂସ୍ପର୍ଶରେ ଭଟଲି ବ୍ଲକ ନଳିଚୁଆଁର ୨ଜଣ ପୁରୁଷ ଏବଂ ଜଣେ ମହିଳା ରହିଛନ୍ତି। ସେହିପରି ରାଜସ୍ଥାନ ଓ ପଞ୍ଜାବରୁ ଫେରନ୍ତା ଭଟଲି ବ୍ଲକ ବଡ଼ମାଲ ଗ୍ରାମର ୨ ପୁରୁଷ ଏବଂ ତାମିଲନାଡୁ ଫେରନ୍ତା ବେହେରାପାଲି ଗ୍ରାମର ଜଣେ ଗର୍ଭବତୀ ମହିଳା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନେ କ୍ୱାରେଣ୍ଟାଇନ ସେଣ୍ଟରରୁ ଯାଇ ଘରେ ସଂଗରୋଧରେ ରହିଥିଲେ। ସେହିପରି ବରଗଡ଼ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୬ କେନାଲ ପଡ଼ା ଗାନ୍ଧୀନଗର ଅଚଂଳର ଋଷ ଫେରନ୍ତା ଜଣେ ୨୧ ବର୍ଷୀୟ ଯୁବକ ଘରେ ସଂଗରୋଧରେ ରହିଥିବା ବେଳେ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି। ଅନୁରୂପ ଭାବେ ବିଜେପୁର ପୁଞ୍ଜିପଥର ଟିଏମସି କେନ୍ଦ୍ରରୁ ତାମିଲନାଡ଼ୁ ଓ କେରଳ ଫେରନ୍ତା ୩ ଜଣ ପୁରୁଷ ରହିଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ କେୟାର ସେଣ୍ଟରକୁ ପଠାଇଛି।

ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୬ଜଣ ସୁସ୍ଥ ହୋଇଥିବା ବେଳେ ୩୦ଜଣ ଚିକିତ୍ସାଧୀନ ଅଛନ୍ତି।