ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ାର ଜଣେ ଯୁବକ ଅନଲାଇନ ଠକେଇର ଶିକାର ହୋଇଛନ୍ତି। ଦୁବୁର୍ତ୍ତମାନେ ତାଙ୍କଠାରୁ ଫୋନ ପେ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଆଜି ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତିି। ଅଭିଯୋଗ ମୁତାବିକ, ପୁରନା ବସ୍ତି ଅଞ୍ଚଳର ହେମନ୍ତ ସାହୁଙ୍କ ପୁଅ କାହ୍ନା ସାହୁ(୨୩)ଙ୍କ ଠାରୁ ମୋଟ ୧ଲକ୍ଷ ୫୧ହଜାର ୭ଶହ ୩୦ ଟଙ୍କା ଠକେଇ ହୋଇଛି।
ସୂଚନାନୁଯାୟୀ, ଗତ ୩ ତାରିଖ ଅପରାହ୍ଣ ୩ଟାରେ କାହ୍ନାଙ୍କ ଫୋନ ପେକୁ ଏକ ମେସେଜ ଆସିଲା। ସେ ମେସେଜକୁ କ୍ଲିକ କଲା ପରେ ତାଙ୍କ ଆକାଉଣ୍ଟରୁ ୪ ହଜାର ୭ଶହ ୩୦ ଟଙ୍କା ଉଠାଣ ହେଲା। ଏହାପରେ ସେ ଫୋନ ପେ କଷ୍ଟମର କେୟାର ନମ୍ବରକୁ ଫୋନ କରିବାରୁ ସେମାନେ ଟିମ ଭିଉଅର କୁଇକି ଏପ୍ଲିକେସନ ଡାଉନଲୋଡ କରିବା ପାଇଁ କହିଥିଲେ। କାହ୍ନା ଏପ୍ଲିକେସନ ଡାଉନଲୋଡ କରିବା ପରେ ଆଖି ପିଛୁଳାକେ ତାଙ୍କ ଆକାଉଣ୍ଟରୁ ପୁଣି ୨ ଥର ୫୦ ହଜାର, ଥରେ ୪୦ ହଜାର, ଥରେ ୧୦ ହଜାର ଓ ୭ ହଜାର ଟଙ୍କାର ରାଶି ଉଠାଣ ହୋଇଥିଲା ବୋଲି କାହ୍ନା ଅଭିଯୋଗ କରିଛନ୍ତି। ଏନେଇ ଝାରସୁଗୁଡ଼ା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।