ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶିଳ୍ପପତି ଗୌତମ ଆଦାନୀଙ୍କ ମଧୁଚନ୍ଦ୍ରିକା ଯୋଗୁ ଦେଶର ଆର୍ଥିକ ସ୍ଥିତି ବିଗିଡ଼ିଛି: କଂଗ୍ରେସ

ନବରଙ୍ଗପୁର,ଏନ୍‌ଏନ୍‌ଏସ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶିଳ୍ପପତି ଗୌତମ ଆଦାନୀଙ୍କ ମଧୁଚନ୍ଦ୍ରିକା ଯୋଗୁ ଦେଶର ଆର୍ଥିକ ସ୍ଥିତି ବିଗିଡ଼ିଛି । ଆଦାନୀ ଦେଶ ତଥା ବିଶ୍ୱରେ ଯେଉଁ କଳା ସାମ୍ରାଜ୍ୟ ବିସ୍ତାର କରିଛି ଦେଶର ରାଷ୍ଟ୍ରୟତ ବ୍ୟାଙ୍କ ଓ ଏଲଆଇସି ଭଳି ଅନେକ ସଂସ୍ଥାର ହଜାର ହଜାର କୋଟି ଟଙ୍କାକୁ ମୋଦୀ ସରକାରଙ୍କ ଅନୁକମ୍ପା ଯୋଗୁ ଅଦାନୀ ଗ୍ରୁପକୁ ପ୍ରଦାନ କରାଯାଇଛି । ଫଳରେ ଅତିରିକ୍ତ ବଜେଟରେ ଆର୍ଥିକ ବୋଝ ସାଧାରଣ ଖଟିଖିଆଙ୍କ ମୁଣ୍ଡରେ ଦରଦାମ ବୃଦ୍ଧି କରି ଲଦି ଦିଆଯାଇଛି ବୋଲି କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛି । ଉକ୍ତ ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ମୁନା ତ୍ରିପାଠୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଦିଲ୍ଲୀପ ବେହେରା, ପ୍ରଦୀପ ସାହୁ, ଅବଦୁଲ ଫିରୋଜ ଓ ଦିବାକର ପୂଜାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।