ପିପିଲିରେ ପୁଣି ନିର୍ବାଚନୀ ହିଂସା : ୩ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପିପିଲି ଉପନିର୍ବାଚନ ତାରିଖ ଯେତେ ପାଖଉଛି, ଅଞ୍ଚଳରେ ଅସ୍ଥିରତା ସେତେ ବଢ଼ିବାରେ ଲାଗିଛି। ଲଢ଼େଇରେ କଂଗ୍ରେସ ପୂରା ବ୍ୟାକଫୁଟକୁ  ଚାଲିଯାଇଥିବା ବେଳେ ବିଜେଡି ଓ ବିଜେପି ମଧ୍ୟରେ ଘମାଘୋଟ ପ୍ରଚାର ଯୁଦ୍ଧ ଚାଲିଛି। ଇତିମଧ୍ୟରେ ରବିିବାର ଡେଲାଙ୍ଗ ବ୍ଲକ୍ ଜେନାପୁର ପଞ୍ଚାୟତ ବ୍ରାହ୍ମଣବାଡ଼ ଗାଁରେ ୩ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ସତ୍ୟବାଦୀ ଚଇନି ଓ ଜେନାପୁର ପଞ୍ଚାୟତ ସଭାପତି ମନୋରଞ୍ଜନ ବରାଳ ଗୁରୁତର ଆହତ ହୋଇଛନ୍ତି।
ବିଜେଡି ପକ୍ଷରୁ ଏହି ଆକ୍ରମଣ ହୋଇଥିବା ଅଭିଯୋଗ କରି ଡେଲାଙ୍ଗ ଥାନା ସମ୍ମୁଖରେ ରାସ୍ତାରୋକ କରିଛନ୍ତି ଶତାଧିକ ବିଜେପି କର୍ମୀ। ପିପିଲି ଉପନିର୍ବାଚନକୁ ହାତେଇବା ପାଇଁ ବିଜେଡି ଗୁଣ୍ଡାମାନେ ଲୋକଙ୍କ ଭିତରେ ଆତଙ୍କ ଖେଳାଇ ବିରୋଧୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ବିଜେପିକୁ ବୁଥ୍ସ୍ତରରେ ମଜଭୁତ ଦେଖି ସେମାନେ ପରାଜୟ ଭୟରେ ହିଂସାତ୍ମକ ହୋଇପଡ଼ିଛନ୍ତି ବୋଲି ରାଜ୍ୟ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଘଟଣାସ୍ଥଳରେ ବିଜେପି ନେତା ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ର, ପ୍ରଭଞ୍ଜନ ମହାପାତ୍ର ଓ ସ୍ମୃତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଆକ୍ରମଣକାରୀଙ୍କ ଗିରଫ ଦାବିରେ ଧାରଣା ଜାରିରହିଛି। ଘଟଣାସ୍ଥଳକୁ ପୁଲିସ ଆସି ବୁଝାସୁଝା କରିଥିଲେ ହେଁ ବିଜେପି କର୍ମୀ ସେଠାରୁ ଉଠିନାହାନ୍ତି। ସମସ୍ତେ ତୁରନ୍ତ ଆକ୍ରମଣକାରୀଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଯୁକ୍ତି ରଖିଛନ୍ତି। ସୂଚନାଯୋଗ୍ୟ, ଶନିବାର ପିପିଲି ସହଜପୁର ପଞ୍ଚାୟତରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସମ୍ପାଦିକା ରଶ୍ମିରେଖା ଦାସ ଏବଂ ବୁଥ୍ ସଭାପତି ସରୋଜ ସେଠୀଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ଦର୍ଶାଇ ବିଜେପିପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା।