ନାବାଳିକା ନିଖୋଜ ଘଟଣା : କଳାକାରଙ୍କ ମୃତ୍ୟୁ ପାଇଁ ପୁଲିସକୁ ଦାୟି କଲେ ପତ୍ନୀ

କୁଆଁପାଳ, ଏନ୍ଏନ୍ଏସ୍: ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ଅଧୀନସ୍ଥ ନଇଗୁଆଁ ଗ୍ରାମର ଜୈନିକା ଅଷ୍ଟମ ଶ୍ରେଣୀ ଛାତ୍ରୀ ନିଖୋଜକୁ ନେଇ ଗତ ୨୦ ତାରିଖ ଦିନ ଭଦ୍ରେଶ୍ୱର ଫାଣ୍ଡିରେ ଛାତ୍ରୀଙ୍କ ପିତା ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ସେହି ଗ୍ରାମର କଳାକାର ସାହୁଙ୍କୁ ତଦନ୍ତ ପାଇଁ ଫାଣ୍ଡିକୁ ଡାକି ଅକଥନୀୟ ନିର୍ଯାତନା ଦେଇ କୌଣସି ସୁଫଳ ନମିଳିବାରୁ ଛାଡିଦେଇଥିଲା। ପରଦିନ ଭଦ୍ରେଶ୍ୱର ଫାଣ୍ଡିରୁ ଜଣେ କନେଷ୍ଟବଳ ତାଙ୍କ ଘରକୁ ଯାଇ ଗାଳିଗୁଲଜ କରିବା କରି ଫାଣ୍ଡିକୁ ଡାକିଥିଲେ। କଳାକାର ଲୋକ ଲଜ୍ଜା ସହିନପାରି ଆତ୍ମହତ୍ୟା କରିଥିବା ତାଙ୍କର ପତ୍ନୀ ସ୍ୱର୍ଣ୍ଣଲତା ଆଜି ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ କଳାକାରଙ୍କ ମୃତ୍ୟୁପଛରେ ଭଦ୍ରେଶ୍ୱର ଫାଣ୍ଡି ଅଧିକାରୀଙ୍କୁ ଦାୟୀ କରାଯାଇ ଗ୍ରାମବାସୀ ଆଜି କଳାକାରଙ୍କ ଶବ ରଖି ମାହଙ୍ଗା- କଟିକଟା ରାସ୍ତାର ଓଉମୂଳ ଛକଠାରେ ରାସ୍ତା ଅବରୋଧ କରିବା ସହ ତାଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ଦାବି କରିଥିଲେ। ଏନେଇ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି, ଏସଡିପିଓ ସାଲେପୁର, ମାହାଙ୍ଗା ଥାନା ଆଇଆଇସି, ସ୍ଥାନୀୟ ମୁରବୀଙ୍କ ସହ ଆଲୋଚନା ପରେ ରାସ୍ତା ଅବରୋଧ ଉଠିଥିଲା। ଅପରପକ୍ଷେ ନିଖୋଜ ନାବାଳିକାକୁ ଗତକାଲି ବିଳମ୍ବିତ ରାତିରେ ନିଜ ଗ୍ରାମ ନଇଗୁଆଁରୁ ପୁଲିସ ଉଦ୍ଧାର କରିଛି। ଏନେଇ ମାହାଙ୍ଗା ଥାନାରେ ଏକ ଅପହରଣ ମାମଲା ରୁଜୁ କରିବା ସହ ସମ୍ପୃକ୍ତ ନାବାଳିକାକୁ ସମ୍ପର୍କୀୟଙ୍କ ଜିମାରେ ଛାଡି ଦେଇଛି। ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ। କଳାକାରଙ୍କ ମୃତ୍ୟୁକୁ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବାବେଳେ ସ୍ୱର୍ଣ୍ଣଲତାଙ୍କ ଅଭିଯୋଗକୁ ନେଇ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡିଛି।