ଦେଶରେ ରେକର୍ଡ ସଂଖ୍ୟକ ମାମଲା: ଦିନକରେ ସର୍ବାଧିକ ୯,୯୭୧ କରୋନା ପଜିଟିଭ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦିନକୁ ଦିନ ରେକର୍ଡ ସ୍ତରରେ ପହଂଚିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ୨୪ ଘଣ୍ଟାରେ ସର୍ବାଧିକ ୯ ହଜାର ୯୭୧ଟି ନୂଆ ମାମଲା ସାମ୍ନାକୁ ଆସିଛି। ଅନ୍ୟପଟେ ଦିନକରେ ୨୮୭ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ମୋଟ ୨ଲକ୍ଷ ୪୬ ହଜାର ୬୨୮ ଜଣ ସଂକ୍ରମିତ ହୋଇଥିବାବେଳେ ୬ ହଜାର ୯୨୯ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୧ ଲକ୍ଷ ୧୯ ହଜାର ୨୯୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସୂଚନାଯୋଗ୍ୟ, ଦେଶରେ କରୋନା ରୋଗୀଙ୍କ ସୁସ୍ଥ ହାର ୪୮.୨୦ ପ୍ରତିଶତ ରହିଛି। ଆଇସିଏମଆର କରୋନା ସଂକ୍ରମିତଙ୍କୁ ତୁରନ୍ତ ଚିହ୍ନଟ କରିବା ପାଇଁ ପରୀକ୍ଷଣ କ୍ଷମତା ମଧ୍ୟ ବଢ଼ାଇ ଦେଇଛନ୍ତି। ୫୨୦ଟି ସରକାରୀ ଓ ୨୨୨ଟି ଘରୋଇ ଟେଷ୍ଟିଂ ସେଣ୍ଟର ଆରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୪୫ଲକ୍ଷ ୨୪ ହଜାର ୩୧୭ଟି ନମୁନା ପରୀକ୍ଷଣ ହୋଇଛି।