ଝାରସୁଗୁଡ଼ାରେ ୧୫ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଝାରସୁଗୁଡ଼ା, ଏନ୍ଏନ୍ଏସ୍: ଝାରସୁଗୁଡ଼ାରେ ପୁଣି ୮୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧,୦୪୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି,୨ଜଣଙ୍କର ମୃତ୍ୟୁ ଘଟିଛି ଓ ୫୩୯ଜଣଙ୍କ ଚିକିତ୍ସା ଜାରି ରହିଛି।

ଆଜି ଚିହ୍ନଟ ହୋଇଥିବା ୮୭ ଜଣଙ୍କ ମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୩୯ଜଣ, ବେଲପାହାଡ଼ ପୌରପରିଷଦ ଅଞ୍ଚଳରୁ ୨ଜଣ, ବ୍ରଜରାଜନଗର ପୌରପରଷଦ ଅଞ୍ଚଳରୁ ୨୮ଜଣ, ଝାରସସୁଗୁଡ଼ା ବ୍ଲକରୁ ୯ଜଣ, ଲଖନପୁର ବ୍ଲକ ଅଞ୍ଚଳରୁ ୬ଜଣ, କୋଲାବିରା ବ୍ଲକ ଅଞ୍ଚଳରୁ ୨ଜଣ ଓ କିର୍ମିରା ବ୍ଲକରୁ ଜଣେ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଗୃହ ସଙ୍ଗରୋଧରେ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରକାଶଯୋଗ୍ୟ ଯେ, ଜିଲ୍ଲାରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅନେକ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଉଛନ୍ତି। ଚିହ୍ନଟ ହେଉଥିବା କୋରାନା ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ, କୋଭିଡ କେୟାର ସେଣ୍ଟର ତଥା କୋଭିଡ କେୟାର ହୋମରେ ରଖାଯାଇ ଚିକିତ୍ସା କରାଯାଉଛି। ଲକ୍ଷଣ ବିହୀନ ଆକ୍ରାନ୍ତଙ୍କୁ ଗୃହ ସଙ୍ଗରୋଧରେ ରଖି ଡାକ୍ତରଙ୍କ ପରମର୍ଶ ଅନୁସାରେ ଚିକିତ୍ସା ସେବା ଉପଲବ୍ଧ କରାଯାଉଛି। ଏହାସହ ଯେଉଁ ଅଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେଠାରେ ଲୋକଙ୍କ ଯାତାୟତକୁ ବନ୍ଦ କରାଯାଇ ସାନିଟାଇଜ କରାଯାଉଛି। ସେହିପରି ସୁସ୍ଥ ହେଉଥିବା ଯୋଗ୍ୟ ଆକ୍ରାନ୍ତଙ୍କୁ ପ୍ଲାଜମା ଦାନ ପାଇଁ ପ୍ରେତ୍ସାହିତ କରାଯାଉଥିବା ଜଣାପଡ଼ିଛି।