ଝାରସୁଗୁଡ଼ାରେ ଜଣେ କରୋନା ପଜିଟିଭ: ସଂଖ୍ୟା ୯କୁ ବୃଦ୍ଧି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ଆଜି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ୩୫ ବର୍ଷୀୟ ଯୁବକ। ସେ ଗତ ୨୫ ତାରିଖରେ ଗୁଜୁରାଟର ସୁରଟରୁ ଶ୍ରମିକ ଟ୍ରେନରେ ଆସି ବ୍ରହ୍ମପୁର ରେଳ ଷ୍ଟେସନରେ ଓହ୍ଲାଇଥିଲେ। ସେଠାରୁ ସରକାରୀ ଗାଡ଼ିରେ ୨୬ ତାରିଖରେ ଝାରସୁଗୁଡ଼ାରେ ପହଂଚି ଏକାତାଲି କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ। ୩୧ ତାରିଖରେ ଯୁବକ ଜଣଙ୍କର ସ୍ୱାବ ନମୁନା ସଂଗ୍ରହ କରି ଭୁବନେଶ୍ୱର ପଠାଯାଇଥିଲା। ଆଉ ରିପୋର୍ଟ ପଜିଟିଭ ଆସିବା ପରେ ତୁରନ୍ତ ଚିକିତ୍ସା ପାଇଁ ରାଉରକେଲାସ୍ଥିତ କୋଭିଡ଼ ହସ୍ପିଟାଲକୁ ପଠାଯାଇଛି।

ସୂଚନାଯୋଗ୍ୟ, ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏକାତାଲି ହାଇସ୍କୁଲସ୍ଥିତ ଅସ୍ଥାୟୀ ମେଡିକାଲ ସେଣ୍ଟର ପରିସରକୁ କଣ୍ଟେନମେଣ୍ଟ ଜୋନ ଓ ଏହାର ଚର୍ତୁପାଶ୍ୱର୍ରେ ଥିବା ଏକ ନିର୍ଦ୍ଦିଷ୍ଟ ଅଂଚଳକୁ ବଫର ଜୋନ ଭାବରେ ଘୋଷଣା କରାଯାଇଥିବା ନେଇ ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି।