ଝାରସୁଗୁଡ଼ା,ଏନ୍ଏନ୍ଏସ୍: ପୂର୍ବତନ ଜାତୀୟ ମହିଳା ଫୁଟବଳ ଖେଳାଳୀ ତନୁଜା ବାଗେଙ୍କୁ ଆଜି ବେଦାନ୍ତର ଏକ ସହଯୋଗୀ କମ୍ପାନୀ ଜେମେଡିରେ ସ୍ପୋର୍ଟ୍ସ କୋଓଡିନେଟର ଭାବରେ ନିଯୁକ୍ତି ମିଳିଛି। ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଉପସ୍ଥିତିରେ ବେଦାନ୍ତର ସିଇଓ ଛବିନାଥ ସିଂ ତନୁଜାଙ୍କୁ ଏହି ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ସୁଶୀଳ କୁମାର ମିଶ୍ର, ବେଦାନ୍ତର ବରିଷ୍ଠ ଅଧିକାରୀ ଚନ୍ଦ୍ର ସେଖର ସାହୁ, ସୁନ୍ଦର ରାଜ, ପ୍ରଣୟ ଶତପଥୀ ଓ ସଞ୍ଜିବ ପଟ୍ଟନାୟକ ଉପସ୍ଥିତ ଥିଲେ।
ପ୍ରକାଶ ଯୋଗ୍ୟ ଯେ, ତନୁଜା ଜାତୀୟ ଫୁଟବଲ ଦଳରେ ଭାରତ ପକ୍ଷରୁ ନେତୃତ୍ୱ କରିଥିବାବେଳେ ଓ ରଗବୀ ଦଳରେ ସାମିଲ ହୋଇ ରାଜ୍ୟ ତଥା ଝାରସୁଗୁଡା ଜିଲ୍ଲା ପାଇଁ ବହୁ ଗୌରବ ଆଣିଥିଲେ। ହେଲେ କ୍ରୀଡ଼ା ଛାଡ଼ିଲା ପରେ ସତେ ଯେମିତି ସେ ଅଚିହ୍ନା ହୋଇଗଲେ ଦେଶ, ରାଜ୍ୟ ଓ ଜିଲ୍ଲା ପାଇଁ। ଭାରତୀୟ ମହିଳା ଫୁଟବଲ ଦଳରେ ତିନିଥର ଗୋଲକିପର ଭାବରେ ଚୟନ ହୋଇ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥବା ତନୁଜା ଝାରସୁଗୁଡା ଜିଲ୍ଲା ଝାରମୁଡାର ଦେବାଡିହି ଗ୍ରାମରେ ଏକ ଭଙ୍ଗା ଘରେ ସ୍ୱାମୀ ଓ ଦୁଇ ଛୁଅ।।ଙ୍କ ସହ ରହିବା ସହ ପରିବାର ପ୍ରତିପୋଷଣ ପାଇଁ ଜଙ୍ଗଲରେ ଛେଳି ଚରାଇବାକୁ ବାଧ୍ୟ ହୋଇଥିଲେ। ତେବେ ଗଣମାଧ୍ୟମ ପକ୍ଷରୁ ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ପରେ ତନୁଜାଙ୍କୁ ଆଜି ନିଯୁକ୍ତି ମିଳିପାରିଛି।