ଚାଷୀଙ୍କୁ ୟୁରିଆ ସାର ଯୋଗାଇବାକୁ କଂଗ୍ରେସର ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଚାଷୀଙ୍କୁ ଶୀଘ୍ର ୟୁରିଆ ସାର ଯୋଗାଇ ଦିଆଯିବାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଜିଲ୍ଲାର ଚାଷୀ ସବୁବେଳେ ଅବହେଳିତ ହେଉଥିବାବେଳେ ସେମାନଙ୍କୁ ଉଚିତ ସମୟରେ ସାର, ବିହନ, ଔଷଧ, ସରକାରୀ ସୁବିଧା ମିଳିପାରୁ ନାହିଁ। ଚାଷୀଙ୍କୁ ଏବେ ୟୁରିଆ ସାରର ଆବଶ୍ୟକତା ଥିବାବେଳେ କୌଣସି ସମବାୟ ସମିତିରେ ସାର ନାହିଁ। ଫଳରେ ଚାଷୀମାନେ ଚଢ଼ା ଦରରେ ବେପାରୀମାନଙ୍କଠାରୁ ସାର କିଣି କଳାବଜାରୀର ଶିକାର ହେଉଛନ୍ତି। ଜିଲ୍ଲାକୁ ଖରିଫ ଋତୁରେ ୫ ହଜାର ଟନ ୟୁରିଆ ସାର ଆବଶ୍ୟକ ଥିବାବେଳେ ଏପର୍ଯ୍ୟନ୍ତ ମାତ୍ର ୨୧ ଶହ ଟନ୍ ସାର ଆସିଛି ତାହା ମଧ୍ୟ ରେଲୱେ ୟାର୍ଡରେ ଖୋଲା ଆକାଶ ତଳେ ପଡ଼ି ରହି ନଷ୍ଟ ହେଉଛି। ତେଣୁ ଜିଲ୍ଲା ପ୍ରଶାସନ ଏହି ସମସ୍ତ ସମସ୍ୟାର ତୁରନ୍ତ ସମାଧାନ କରି ଚାଷୀଙ୍କୁ ଉଚିତ ସମୟରେ ସରକାରୀ ସୁବିଧା ଉପଲବ୍ଧ କରାଉ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏହି ସମୟରେ ମହେନ୍ଦ୍ର ନାୟକ, ପ୍ରଭାକର ଓରାମ, ଭରତ ଅବସ୍ତିଙ୍କ ସହ ଜିଲ୍ଲା କଂଗ୍ରେସର ସଦସ୍ୟମାନେ ଉପସ୍ଥିତ ଥିଲେ।