ଘରୋଇ କମ୍ପାନୀଙ୍କୁ ଆଶ୍ୱସ୍ତି ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲକଡାଉନ ସମୟରେ କର୍ମଚାରୀଙ୍କୁ ବେତନ ଦେବା ମାମଲାରେ ସୁପ୍ରିମକୋର୍ଟ ଘରୋଇ କମ୍ପାନୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି କି, ସରକାର ଏମିତି ଘରୋଇ କମ୍ପାନୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ଯେଉଁମାନେ କି ଦେଶବ୍ୟାପୀ ଲକଡାଉନ ସମୟରେ କର୍ମଚାରୀଙ୍କୁ ବେତନ ଦେବାରେ ଅସମର୍ଥ ହୋଇଛନ୍ତି। ଏନେଇ ବହୁ କମ୍ପାନୀ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଯାହାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ଏପରି ଶୁଣାଣୀ କରିଛନ୍ତି।

ସୁପ୍ରିମକୋର୍ଟ ଆହୁରି କହିଛନ୍ତି କି, ବେତନ ମାମଲାରେ କର୍ମଚାରୀ ଓ କମ୍ପାନୀଙ୍କ ସହ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଆଲୋଚନା କରିବ। କେନ୍ଦ୍ର ସରକାର ମାର୍ଚ୍ଚ ୨୯ ତାରିଖରେ ଶ୍ରମିକଙ୍କୁ ପୁରା ବେତନ ପ୍ରଦାନ କରିବାକୁ ନେଇ ଯେଉଁ ବିଜ୍ଞପ୍ତି ଜାରି କରିଥିଲେ ସେନେଇ ୪ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।