କୋଭିଡ ହସ୍ପିଟାଲ ନେଇ ନବୀନଙ୍କୁ ପ୍ରତାପ ଓ ଜୁଏଲଙ୍କ ଚିଠି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ୍ ଅର୍ଗାନାଇଜେସନ୍(ଡିଆରଡିଓ) ପକ୍ଷରୁ ବର୍ତ୍ତମାନ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଅସ୍ଥାୟୀ କୋଭିଡ୍ ହସ୍ପିଟାଲ, ଅକ୍ସିଜେନ୍ ପ୍ଲାଣ୍ଟ ଇତ୍ୟାଦି ପ୍ରତିଷ୍ଠା କରାଯାଉଛି। ଯେଉଁଥିପାଇଁ ବିଭିନ୍ନ ରାଜ୍ୟର ସରକାର ମାନେ ନିଜଆଡ଼ୁ ପ୍ରସ୍ତାବ ଦେବାସହ ପ୍ରକଳ୍ପରେ ସହଯୋଗ ଯୋଗାଇ ଦେଉଛନ୍ତି। ଓଡ଼ିଶା ସରକାର ମଧ୍ୟ ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟରେ କୋଭିଡ୍ ହସ୍ପିଟାଲ ପାଇଁ ପ୍ରସ୍ତାବ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏବଂ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ। ଶ୍ରୀ ଷଡ଼ଙ୍ଗୀ ନିଜ ଚିଠିରେ ଲେଖିଛନ୍ତି ଯେ ବାଲେଶ୍ୱରରେ ଡିଆରଡିଓର ଆଇଟିଆର ରହିଛି। ସ୍ଥାନୀୟ ଅଞ୍ଚଳ ଏବଂ ଅଞ୍ଚଳବାସୀଙ୍କ ଉନ୍ନତୀରେ ସଂସ୍ଥାଟି ସର୍ବଦା କାର୍ଯ୍ୟ କରିଆସିଛି। ବର୍ତ୍ତମାନ ବାଲେଶ୍ୱରରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁତର ରୋଗୀଙ୍କ ଚିକିତ୍ସା ଲାଗି ଏଠାରେ ସୁବିଧା ନଥିବାରୁ ଭୁବନେଶ୍ୱର ଏବଂ କଟକ ଯିବାକୁ ପଡ଼ୁଛି। ଏହି ଦୃଷ୍ଟିରୁ ବାଲେଶ୍ୱର ଠାରେ ଡିଆରଡିଓ ଦ୍ୱାରା ଅକ୍ସିଜେନ୍ ସଂଯୋଗ, ଆଇସିୟୁ ତଥା ଭେଣ୍ଟିଲେଟର ସୁବିଧା ଥିବା ଏକ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଅନ୍ତୁ। ଏହାଦ୍ୱାରା ବାଲେଶ୍ୱରବାସୀ ଉପକୃତ ହେବେ ବୋଲି ଶ୍ରୀ ଷଡ଼ଙ୍ଗୀ ଲେଖିଛନ୍ତି। ଅନ୍ୟପଟେ ଶ୍ରୀ ଓରାମ ସୁନ୍ଦରଗଡ଼ ଏନଟିପିସି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ୧୦୦ ଆଇସିୟୁ ବେଡ୍ ସାଙ୍ଗକୁ ଗୋଟିଏ ଅକ୍ସିଜେନ୍ ପ୍ଲାଣ୍ଟ ପିଏମ୍ କେୟାର୍ସ ପାଣ୍ଠି ଅର୍ଥରେ ପ୍ରତିଷ୍ଠା କରାଯିବା ଏବଂ ରାଉରକେଲା ଆଇଜିଏଚ୍ ସୁପର ସ୍ପେସାଲିଟି ହସ୍ପିଟାଲରେ ୨୦୦ ଆଇସିୟୁ ବେଡ୍ ବ୍ୟବସ୍ଥା କରାଯିବା ନେଇ ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖିଥିଲେ। କେନ୍ଦ୍ରରୁ ଗ୍ରୀନ୍ ସିଗନାଲ ମିଳିଥିବା ବେଳେ ରାଜ୍ୟ ସରକାର ନିଜଆଡ଼ୁ ପ୍ରସ୍ତାବ ଦେଲେ ଏହା ସଫଳ ହୋଇପାରିବ ବୋଲି ଶ୍ରୀ ଓରାମ ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଜଣାଇଛନ୍ତି।