କୋଟିଆରେ ୧୪୪ ଧାରା ଲାଗୁ

କୋରାପୁଟ,ଏନ୍ଏନ୍ଏସ୍: ଓଡିଶା-ଆନ୍ଧ୍ର ସୀମା ପଟ୍ଟାଙ୍ଗୀ ବ୍ଲକର ବିବାଦୀୟ କୋଟିଆ ପଞ୍ଚାୟତରେ ଲଗାତାର କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ସମଗ୍ର ପଞ୍ଚାୟତରେ ୧୪୪ ଧାରା ଲାଗୁ କରିଛି। ସୂଚନା ଥାଉକି,ସୋମବାର କୋଟିଆ ପଞ୍ଚାୟତ ସଦର ମହକୁମାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଫାଟୁସିନେରୀ ଓ ନେରେଡିବାଲସା ଗ୍ରାମରେ ଗତ ଦୁଇ ଦିନରେ ୩ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଉପାନ୍ତ ଅଞ୍ଚଳ ହୋଇଥିବାରୁ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ହେତୁ ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା କରି ପ୍ରଶାସନ ଏପରି ପଦକ୍ଷେପ ନେଇଥିବା ଜଣାପଡିଛି।

ଆଜି ମଧ୍ୟରାତ୍ରରୁ ୯ତାରିଖ ରାତି ଯାଏଁ ୧୪୪ ଧାରା ବଳବତ୍ତର ରହିବାକୁ ଥିବାବେଳେ ସେହି ସମୟ ମଧ୍ୟରେ କୌଣସି ଲୋକ ବାହାରକୁ ନଯିବା ପାଇଁ ମାଇକ୍ ଯୋଗେ ପ୍ରଚାର କରା ଯାଇଛି। ଅନ୍ୟ ପକ୍ଷରେ ବିବାଦୀୟ କୋଟିଆରେ ଆନ୍ଧ୍ର ପ୍ରଦେଶ ସରକାର ଏପ୍ରିଲ୍ ୮ରୁ ୧୦ ତାରିଖ ମଧ୍ୟରେ ଜିଲ୍ଲା ପରିଷଦ ଏବଂ ସମିତି ସଭ୍ୟ ନିର୍ବାଚନ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ କରିଛି। ବୁଧବାର ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟର ୩ଜଣିଆ ଖଣ୍ଡପୀଠ ପୂର୍ବରୁ ହୋଇଥିବା ରୋହିତାଦେଶ ଉଠାଇ ନେବାସହ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେବାପରେ ଲୋକେ ଓଡିଶା ସରକାରର ୧୪୪ ଧାରା ମାନି ଘରୁ ବାହରିବେନି ନା ଆନ୍ଧ୍ର ପ୍ରତି ସମର୍ଥନ ଜଣାଇ ମତଦାନ କରିବେ ତାକୁ ନେଇ ସାଧାରଣରେ ଉତ୍ସୁକତା ଦେଖା ଦେଇଛି।