କେନ୍ଦ୍ର ସମବାୟ ବ୍ୟାଙ୍କ ଘୋଟାଲାର ପର୍ଦ୍ଦାଫାସ୍‌, ଦୁଇ ଅଭିଯୁକ୍ତ ଗିରଫ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ  ବ୍ୟାଙ୍କରେ ଲକ୍ଷାଧିକ ଟଙ୍କାର ଘୋଟାଲା ହୋଇଥିବା ଅଭିଯୋଗ ଘଟଣାରେ ପୁଲିସ ରବିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘୋଟାଲାରେ ସମ୍ପୃକ୍ତ ଥିବା ବ୍ୟାଙ୍କର ଜଣେ ପୂର୍ବତନ ଅସ୍ଥାୟୀ କର୍ମଚାରୀ ନୀଳମଣି ତ୍ରିପାଠୀ ଓ ତାଙ୍କ ସହଯୋଗୀ ସ୍ୱାଗତ ମିଶ୍ରଙ୍କୁ ପୁଲିସ ଗିରଫ କରିଥିବା ଏସ୍‌ପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଏମ ସନ୍ଦିପ  ସମ୍ପତ୍ତ ସୂଚନା ଦେଇଛନ୍ତି।

ଅଭିଯୁକ୍ତମାନଙ୍କ ନିକଟରୁ ପୁଲିସ ଟଙ୍କା ଉଠାଣ ସମୟରେ ସେମାନେ ବ୍ୟବହାର କରୁଥିବାହେଲମେଟ୍‌, ପୋଷାକ ଓ ୩୩ ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରିଛି। ସୂଚନା ଅନୁଯାୟୀ, ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ୍‌ହେଉଥିବା ନେଇ ବ୍ୟାଙ୍କ ମ୍ୟାନେଜର ଜ୍ୟୋତ୍ସ୍ନାମୟୀ ପ୍ରଧାନ ଅକ୍ଟୋବର ୪୪ ତାରିଖରେ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ମିଳିବା ପରେ ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଘୋଟାଲାର ତଦନ୍ତ ଆରମ୍ଭ ହୋଇଥିଲା।

ପ୍ରାଥମିକ ପର୍ଯ୍ୟାୟରେ କେବଳ ୨ଟି ଆକାଉଣ୍ଟରୁ ଟଙ୍କା ଗାଏବ୍‌ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ୧୨ଟି ଆକାଉଣ୍ଟରୁ ଟଙ୍କା ଉଠାଣ ହୋଇଥିବା ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା। ବ୍ୟାଙ୍କ ମୁଖ୍ୟ ଶାଖା ତରଫରୁ ଜମାକାରୀଙ୍କୁ ପ୍ରଦାନ କରିବା ପାଇଁ ୭୧୫୩ଟି ଏଟିଏମ୍‌ ବଲାଙ୍ଗିର ଶାଖାକୁ ୨୦୧୬ ମସିହାରେ ଦିଆଯାଇଥିଲା। ସେଥିରୁ ମାତ୍ର  ୭୮୨ଟି ଏଟିଏମ୍‌ ଗ୍ରାହକଙ୍କୁ ଜୁନ ୨୦୧୯ ସୁଦ୍ଧା ପ୍ରଦାନ କରାଯାଇଥିବା ବେଳେ ବାକିତକ ଏଟିଏମ୍‌ ବଣ୍ଟନ ପାଇଁ ରଖାଯାଇଥିଲା। ଏଟିଏମ୍‌ ସହିତ ପାସ୍‌ୱାର୍ଡ ମଧ୍ୟ ଥିଲା । ଏହି କାର୍ଡ ବ୍ୟାଙ୍କର ଅସ୍ଥାୟୀ କର୍ମଚାରୀ ନୀଳମଣିଙ୍କ ପାଖରେ ରହିଥିଲା। କିନ୍ତୁ ସେଥିରୁ ୧୨ଟି ଏଟିଏମକୁ ନୀଳମଣି ନେଇଯାଇଥିଲେ। ପରେ ଅଗଷ୍ଟ ୩୧ ତାରିଖରେ ତାଙ୍କୁ ଚାକିରିରୁ ବହିଷ୍କୃତ  କରାଯାଇଥିଲା।

ଚାକିରିରୁ ବହିଷ୍କୃତ ହୋଇଥିବା ନୀଳମଣି ନିଜ ପାଖରେ ରଖିଥିବା ଏଟିଏମ୍‌ କାର୍ଡକୁ ନିଜେ ବ୍ୟବହାର ନକରି ସ୍ୱାଗତ ମିଶ୍ର ନାମକ ଜଣେ ବ୍ୟକ୍ତିର ସାହାଯ୍ୟରେ ଟଙ୍କା ଉଠାଇଥିଲେ। ମୋଟ ୮ଲକ୍ଷ ୩୧ହଜାର ଟଙ୍କା ଉଠାଇଥିବା ବେଳେ ସେଥିରୁ ସ୍ୱାଗତଙ୍କୁ ନୀଳମଣି ୧ଲକ୍ଷ ୮୦ହଜାର ଟଙ୍କା ଦେଇଥିବା ପୁଲିସ ସୂଚନା ଦେଇଛି। ପରେ ସବୁ ଏଟିଏମକୁ ସେମାନେ ପୋଡ଼ି ଦେଇଥିଲେ। ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ପୁଣି ପଚରାଉଚୁରା କରିବା ସହ ସେମାନଙ୍କଠାରୁ ଟଙ୍କା ଜବତ କରାଯାଇ  ଫେରସ୍ତ କରାଯିବ ବୋଲି ଏସ୍‍ପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।