ଆସିଲା ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ, ମୁମ୍ବାଇରେ ହେବ ଅନ୍ତ୍ୟେଷ୍ଟିକ୍ରିୟା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି। ମୁମ୍ବାଇର କପୁର ହସ୍ପିଟାଲରେ ଗତକାଲି ରାତି ୧୦.୩୦ରୁ ୧୧.୩୦ ମଧ୍ୟରେ ତାଙ୍କ ପୋଷ୍ଟମୋର୍ଟମ ହୋଇଥିଲା ଯାହାର ରିପୋର୍ଟ ଆସିଯାଇଛି। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି କି, ଫାଶିରେ ଝୁଲିବା କାରଣରୁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଛି। ଆଉ ତାଙ୍କ ଶରୀରର କୌଣସି ବିଷ ଥିଲା କି ନାହିଁ ଜାଣିବା ପାଇଁ ଶରୀରର କିଛି ଅଂଶକୁ ଜେଜେ ହସ୍ପିଟାଲ ପଠାଇ ଦିଆଯାଇଛି।

ଅଭିନେତା ସୁଶାନ୍ତଙ୍କ ପିତା ଓ ପରିବାରର କିଛି ସଦସ୍ୟ ମୁମ୍ବାଇରେ ପହଂଚି ସାରିଛନ୍ତି। ମୁମ୍ବାଇର ବିଲେପାର୍ଲିସ୍ଥିତ ପୱନ ସିଂ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ଏହାପରେ ପୁଲିସ ତାଙ୍କ ପରିବାରବର୍ଗଙ୍କଠାରୁ ବୟାନ ରେକର୍ଡ କରିବ। ଏଥିସହିତ ସୁଶାନ୍ତ ଶେଷଥର ପାଇଁ କଲ୍ କରିଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ମହେଶ ସେଟ୍ଟୀଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିବ ବୋଲି ଜଣାପଡ଼ିଛି।

ବିଶେଷ ସୁତ୍ରରୁ ଜଣାପଡ଼ିଛି କି, ମୁମ୍ବାଇ ପୁଲିସ ସୁଶାନ୍ତଙ୍କ ୬ ମାସର ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରିଥିଲେ ବି ସେଥିରୁ କୌଣସି ସୂଚନା ହସ୍ତଗତ ହୋଇପାରି ନାହିଁ। ସୁଶାନ୍ତ ନଭେମ୍ବରରେ ବିବାହ କରିବେ ବୋଲି ନିକଟରେ ତାଙ୍କ ପିତାଙ୍କୁ ଜଣାଇଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି।

ଟିଭିରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ସୁଶାନ୍ତଙ୍କୁ ଶେଷଥର ପାଇଁ ଫିଲ୍ମ ‘ଛିଛୋରେ’ରେ ନଜର ଆସିଥିଲେ। ଫିଲ୍ମରେ ‘ଆତ୍ମହତ୍ୟା ସବୁ ସମସ୍ୟାର ସମାଧାନ ନୁହେଁ’ କହିଥିବା ସୁଶାନ୍ତ ଶେଷରେ ସେହି ପଥକୁ ହିଁ ଆପଣାଇବା ନିଶ୍ଚିତ ରୂପେ ସମସ୍ତଙ୍କୁ ଚକିତ କରିଛି।