ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବିରୋଧରେ ସୁପ୍ରିମ କୋଟର କଡ଼ା ନିର୍ଦ୍ଦେଶକୁ ନେଇ ବୈଠକ ବସିବ

କଟକ,ଏନ୍ଏନ୍ଏସ୍: ଓଡ଼ିଶା ହାଇକୋର୍ଟରେ ଆଇନଜୀବୀମାନଙ୍କ କାର୍ୟ୍ୟବନ୍ଦ ଆନ୍ଦୋଳନ ଜାରି ରହିଥିବାରୁ ଏହାକୁ ନେଇ ବୁଧବାର ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଅପରାହ୍ଣ ୨ଟାରେ ହାଇକୋର୍ଟ ବାର୍ ଆକ୍ସନ କମିଟି ବୈଠକ ବସିବାକୁ ଥିବାବେଳେ ପରବର୍ତ୍ତୀ କାର୍ୟ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଜଣାଯାଇଛି।

ଗତକାଲି ସର୍ବୋଚ୍ଚ ଅଦାଲତ ପକ୍ଷରୁ ବିଚାର ବ୍ୟବସ୍ଥାକୁ ଅଚଳ କରାଯିବା ଉଦ୍ୟମକୁ କୌଣସି ପରିସ୍ଥିତିରେ ବି ଗ୍ରହଣ କରାଯିବ ନାହିଁ ବୋଲି କହିଥିଲେ। ନ୍ୟାୟର ମନ୍ଦିରକୁ ଖୋଲା ରଖିବା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବା ଉଚିତ। ଯଦି ସ୍ଥାନୀୟ ପୁଲିସ ଏଥିରେ ବିଫଳ ହେଉଛି ତାହାହେଲେ ଅର୍ଧ ସାମରିକ ବାହିନୀର ସହାୟତା ନିଆଯାଇପାରିବ ବୋଲି ସୁପ୍ରିମ କୋର୍ଟ କହିଥିଲେ। କୋର୍ଟ ଚଳାଇବା ଲାଗି ସିଆରପିଏଫ ଯବାନଙ୍କୁ ମୂତୟନ କରାଯିବ ବୋଲି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛି। ‌

ଏ ନେଇ ଜଷ୍ଟିସ ଏସ୍‌.କେ.କଉଲ ଓ ଜଷ୍ଟିସ କେ.ଏମ.ଯୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଗତକାଲି ଏହି ମାମଲାର ଶୁଣାଣି ଚାଲିଥିବା ବେଳେ କୋର୍ଟ ଏଭଳି ଆଭିମୁଖ୍ୟ ଗ୍ରହଣ କରିଥିଲେ। ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ ଦାଖଲ କରିଥିବା ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ତେବେ ହାଇକୋର୍ଟ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ କହିଥିଲେ ଯେ କୋର୍ଟ କାର୍ୟ୍ୟ ଚାଲିବା ଏକ ପ୍ରକାର ଅସମ୍ଭବ ହୋଇ ପଡିଛି ଓ ଅପ୍ରୀତିକର ପରିସ୍ଥିତି ଯୋଗୁଁ ଏ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି ହାଇକୋର୍ଟରେ ଘୁଞ୍ଚିଥିଲା।