ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ସଇଁନ୍ତଲା,ଏନ୍ଏନ୍ଏସ୍: ଅଜଣା ଗାଡ଼ି ଧକ୍କାରେ ଜଣେ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗିର-ଟିଟିଲାଗଡ଼ ରାଜରାସ୍ତାର ବିଜାଖମନ ନିକଟରେ ଏଭଳି ଏକ ଘଟଣା ଘଟିଛି। ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ବିଳମ୍ୱିତ ରାତିରେ ରକ୍ତାକ୍ତ ଅବସ୍ଥାରେ ରାଜରାସ୍ତା ଉପରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ୧୦୮ ଆମ୍ବୁଲାନ୍ସ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ସଦର ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି।

ପ୍ରାଥମିକ ତଦନ୍ତରୁ ପୁଲିସକୁ ମିଳିଥିବା ସୂଚନାନୁଯାୟୀ, ମୃତ ବ୍ୟକ୍ତି ଜଣକ ବଲାଙ୍ଗିର ସହରର ଜଣେ ଆଟୋ ଡ୍ରାଇଭର । ଗତକାଲି ରାତିରେ ଅଟୋର ଇନ୍ଧନ ସରିଯାଇଥିବାରୁ ରାସ୍ତାକଡ଼ରେ ସାହାଯ୍ୟ ପାଇଁ ଠିଆ ହୋଇଥିଲେ। ଏହି ସମୟରେ ଏକ ଅଜଣା ଗାଡି ଦ୍ରୁତ ଗତିରେ ଆସି ଅଟୋ ଡ୍ରାଇଭରଙ୍କୁ ଧକ୍କା ଦେଇ ଚାଲିଯାଇଥିବା ଅନୁମାନ କରାଯାଉଛି । କେଉଁ ଗାଡ଼ି ଧକ୍କା ଦେଲା ସେନେଇ  ପୁଲିସ ତଦନ୍ତ କରୁଛି।