ପୂର୍ବ ଶତ୍ରୁତାରୁ ଯୁବକକୁ ତଣ୍ଟି ଚିପି ହତ୍ୟା, ଅଭିଯୁକ୍ତ ଗିରଫ

ଚାନ୍ଦିଲି ଥାନା ତାଣ୍ଡିପୁର ଛକରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ନାମ ଅର୍ଜୁନ କଣ୍ଡାଗିରି (୨୩)। ଘର କୁମୁଟିପେଣ୍ଠ ପଞ୍ଚାୟତର ଶାନ୍ତି ନଗରରେ ବୋଲି ଜଣାପଡିଛି। ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ପୁଲିସ୍ ଅଟକ ରଖିଥିବାବେଳେ ଘଟଣାସ୍ଥଳରେ ରାୟଗଡା ଏସପି ଡା. ଶର୍ବଣା ବିବେକ ଏମ୍ ପହଞ୍ଚି ତଦନ୍ତ କରିଛନ୍ତି। ହତ୍ୟାକାଣ୍ଡ ପରେ ସଂପୃକ୍ତ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଚାନ୍ଦିଲି ପୁଲିସ୍ ମୃତ ଯୁବକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ସୂଚନାନୁଯାୟୀ, ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଓ ଅର୍ଜୁନଙ୍କ ମଧ୍ୟରେ ତାଣ୍ଡିପୁର ଛକରେ ବଚସା ହୋଇଥିଲା। କିଛି ସମୟ ପରେ ଉଭୟଙ୍କ ମଧ୍ୟରେ ମାରପିଟ୍ ହେବା ପରେ ଅଭିଯୁକ୍ତ ଯୁବକ ଅର୍ଜୁନଙ୍କ ତଣ୍ଟିକୁ ଚିପି ଦେଇଥିଲା। ଫଳରେ ଅଣନିଶ୍ୱାସୀ ହୋଇ ଅର୍ଜୁନଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହା ପରେ‌ ଅର୍ଜୁନଙ୍କ ମୃତଦେହକୁ ଅଭିଯୁକ୍ତ ଡ୍ରେନରେ ଫୋପାଡି ଦେଇ ପଳାଇ ଯାଉଥିଲା।

ଏହି ସମୟରେ ନିକଟସ୍ଥ ଗ୍ରାମବାସୀ ଅଭିଯୁକ୍ତକୁ କାବୁ କରି ଘଟଣା ସଂପର୍କରେ ପୁଲିସକୁ ଖବର ଦେଇଥିଲେ। ଚାନ୍ଦିଲି ଥାନା ଅଧିକାରୀ ଅଜିତ୍ କୁମାର ସ୍ୱାଇଁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିବା ସହ ଅର୍ଜୁନଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ଆଇନ ଶୃଂଖଳା ପରିସ୍ଥିତିକୁ ଆଖି ଆଗରେ ରଖି ଗ୍ରାମରେ ପୁଲିସ୍ ମୁତୟନ କରାଯାଇଛି।