ଡିଜେଲ ଟ୍ୟାଙ୍କର ଅପହରଣ ଘଟଣାରେ ୨ଗିରଫ

ବାଲେଶ୍ୱର,ଏନ୍ଏନ୍ଏସ୍: ଜାତୀୟ ରାଜପଥରେ ବନ୍ଧୁକ ଦେଖାଇ ଏକ ତେଲ ଟ୍ୟାଙ୍କରକୁ ଅପହରଣ କରି ତେଲ ବିକ୍ରୀ କରିଦେଇଥିବା ସଂଗୀନ ଘଟଣା ବାଲେଶ୍ୱରରେ ଘଟିଛି। ଏନେଇ ବାଲେଶ୍ୱର ସଦର ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ଅପହରଣ କରିଥିବା ଡକାୟତଙ୍କୁ ଧରି ପାରିନଥିବା ବେଳେ କେବଳ ଦୁଇଜଣ ବିକ୍ରେତାକୁ ଧରି ବାହାବଃ ନେଇଛି। ତେବେ ଗିରଫ ହୋଇଥିବା ଦୁଇ ଜଣ ହେଲେ ବାଲେଶ୍ୱର ନୂଆବଜାର ଅଂଚଳର ଭାସ୍କରଚନ୍ଦ୍ର ବେହେରାଙ୍କ ପୁଅ କାର୍ତିକଚନ୍ଦ୍ର ବେହେରା(୪୯) ଏବଂ ତାଙ୍କୁ ସହଯୋଗ କରିଥିବା ଅନ୍ୟଜଣେ ହେଉଛନ୍ତି ଶିଳ୍ପାଚଂଳ ଥାନା ଅନ୍ତର୍ଗତ ସୋମନାଥପୁର ଅଂଚଳର ସେକ ସୁଦୀରଙ୍କ ପୁଅ ସେକ ଇମ୍ରାନ(୨୯)। ଏନେଇ ପୁଲିସ ସଦର ଥାନାରେ ୨୭୪/୧୯ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ବୋଲି ସଦର ଏସଡିପିଓ ପ୍ରଭାଶଚନ୍ଦ୍ର ପାଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଗତ ମାସ ୨୮ତାରିଖରେ ହଳଦିଆ ଠାରୁ ଏକ ତେଲ ଟ୍ୟାଙ୍କରରେ ୧୫ରୁ ୧୬ଲକ୍ଷ ଟଙ୍କା ମୂଲ୍ୟର୨୦ହଜାର ଲିଟର ଡିଜେଲ ଭର୍ତି କରି ଅନୁଗୁଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ତେବେ ଉକ୍ତ ଦିନ ସନ୍ଧ୍ୟା ୬ଟା ୪୫ମିନିଟ ସମୟରେ ବାଲେଶ୍ୱର ଜିଲ୍ଲା ହଳଦୀପଦା ଫାଣ୍ଡି ଅର୍ନ୍ତଗତ ୬୦ନମ୍ବର ଜାତୀୟ ରାଜପଥ ନଗ୍ରମ ଠାରେ ପହଁଚିବା ପରେ ଏକ ବୋଲେରୋ ଯୋଗେ ପାଂଚ ଜଣ ବ୍ୟକ୍ତି ମୁହଁରେ କଳା କପଡା ଲଗାଇ ଉକ୍ତ ତେଲ ଟ୍ୟାଙ୍କର ନିକଟକୁ ଆସିଥିଲେ।

ଟ୍ୟାଙ୍କରେ ଥିବା ଡ୍ରାଇଭର ଧରମବୀର ରାଏ ଏବଂ ହେଲପର ମଙ୍ଗଲଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଉକ୍ତ ଟ୍ୟାଙ୍କରକୁ ଅପହରଣ କରି ନେଇଥିଲେ। ଏହାସହ ଉକ୍ତ ଟ୍ୟାଙ୍କରକୁ ରେମୁଣା ଗୋଲେଇ ନିକଟସ୍ଥ ଏକ ଗଣେଶ ମନ୍ଦିର ନିକଟକୁ ନେଇଯାଇଥିଲେ। ପରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅର୍ନ୍ତଗତ ଜାମଶୋଳା ଗେଟ ନିକଟରେ ଥିବା ଏକ ଜଙ୍ଗଲ ଠାରେ ଛାଡି ଦେଇଥିଲେ। ତେଲ ଟ୍ୟାଙ୍କରଟିକୁ ସାଙ୍ଗରେ ନେଇ ବାଙ୍ଗିରିପୋଷୀ ଥାନା ଅନ୍ତର୍ଗତ ନିଲକମଲ ଢ଼ାବା ଠାରେ ରାସ୍ତାକଡରେ ଛାଡି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ତେବେ ଟ୍ୟାଙ୍କର ଡ୍ରାଇଭର ଏନେଇ କଲିକତା ଅଞ୍ଚଳର ତାଙ୍କ ମାଲିକ ଯୋଗେନ୍ଦ୍ର ପ୍ରସାଦ ବିଶ୍ୱାଳଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ତେବେ ଯୋଗେନ୍ଦ୍ର ଏନେଇ ଜିପିଆରଏସ ମାଧ୍ୟମରେ ତାଙ୍କ ଟ୍ୟାଙ୍କର ରେମୁଣା ଗୋଲେଇ ଠାରେ ଥିବା ଜାଣିଥିଲେ ଏବଂ ସେଠାରେ ଦୀର୍ଘ ସମୟ ରହିବା ପରେ କେଉଁଆଡେଯାଇଥିଲା ଜାଣିନଥିଲେ। ତେବେ ଏନେଇ ସେ ଗତ ୨୯ତାରିଖରେ ସେ ସଦର ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା।